ଆଶ୍ଚର୍ଯ୍ୟ: ମହିଳାଙ୍କ ଆଖିରୁ ବାହାରିଲା ୨୩ଟି କଣ୍ଟାକ୍ଟ ଲେନ୍ସ

ସାଧାରଣତଃ ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ ଲୋକ ଚଷମା ବ୍ୟବହାର କରିଥାନ୍ତି । କିନ୍ତୁ କିଛି ଲୋକ ଚଷମା ବଦଳରେ କଣ୍ଟାକ୍ଟ ଲେନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏମିତି ଜଣେ ମହିଳାଙ୍କ ଆଖିରୁ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିଛନ୍ତି ଡାକ୍ତର କ୍ୟାଟରିନା କୁର୍ତ୍ତିଭା । ଡାକ୍ତରଙ୍କ କହିବା କଥା ମହିଳା ଜଣକ ରାତିରେ ଶୋଇବା ପୂର୍ବରୁ କଣ୍ଟାକ୍ସ ଲେନ୍ସ କାଢ଼ିବା ପାଇଁ ଭୁଲି ଯାଇଥିଲେ। ଲଗାତାର ୨୩ ଦିନ ଧରି ସେ ଏଭଳି କରିଥିଲେ। ଡାକ୍ତର କ୍ୟାଟରିନା କୁର୍ତ୍ତିଭା ସେପ୍ଟେମ୍ବର ୧୩ରେ ଇନଷ୍ଟାଗ୍ରାମ ପେଜ୍ରେ ଏକ ଭିଡିଓ ଶେୟାର କରିଛନ୍ତି।
ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ମହିଳାଙ୍କ ଆଖିରୁ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରାଯାଉଛି। ଏଥିସହ କଣ୍ଟାକ୍ଟ ଲେନ୍ସ ପିନ୍ଧି ରାତିରେ ନ ଶୋଇବାକୁ ଡାକ୍ତର କୁର୍ତ୍ତିଭା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ‘ଏହା ଏକ ବିରଳ ଘଟଣା ଯେ, ଜଣେ କଣ୍ଟାକ୍ଟ ଲେନ୍ସ ବାହାର ନ କରି ରାତିରେ ଶୋଇ ପଡ଼ିବେ ଓ ପୁଣି ତା’ପରଦିନ ସକାଳେ ନୂଆ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବେ। ତା’ବି ପୁଣି ଲଗାତାର ୨୩ ଦିନ ଧରି ଏଭଳି କରିବା !
ସମ୍ପୃକ୍ତ ମହିଳାଙ୍କ ଆଖିରୁ ଡାକ୍ତର ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିବା ପରେ ଆଗକୁ ଆଉ କଣ୍ଟାକ୍ଟ ଲେନ୍ସ ବଦଳରେ ଚଷମା ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି।