Odisha News

ଆମ୍ବ ଟାକୁଆ ଜାଉର ପୁନରାବୃତ୍ତି : ଚାରି ମାସ ହେବ ମିଳିନି ଚାଉଳ: ଖୁର୍ସା, କରଡ଼ି ଓ ମକାରେ ବିତୁଛି ଆଦିବାସୀଙ୍କ ଜୀବନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୧୧ : ଚାଉଳ ମିଳିବା ରେ ବିଳମ୍ବ ଯୋଗୁଁଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ଖୁର୍ସା, କରଡ଼ି, ଜଙ୍ଗଲି କନ୍ଦା ଓ ମକା ଭଳି ଜଙ୍ଗଲ ଜାତ ଦ୍ରବ୍ୟରେ ପୂରୁଛି ପେଟ। ଏଭଳି ଏକ ଘଟଣା ପୁଣି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଞ୍ଚାୟତର ଦୁର୍ଗମ ମାସ୍କାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, ମାସ୍କାଗୁଡ଼ା ଗ୍ରାମରେ ୧୮ ଆଦିବାସୀ ପରିବାର ବସବାସ କରନ୍ତି। ଗତ ଜୁଲାଇ ମାସ ପର୍ଯ୍ୟନ୍ତ ରାଶନ ଚାଉଳ ମିଳିଛି ।
ଅଗଷ୍ଟ ମାସ ଠାରୁ ନଭେମ୍ବର ଚାରି ମାସ ସରିବାକୁ ବସିଲାଣି ହେଲେ ଅଦ୍ୟାବଧି ସୁଦ୍ଧା ଚାଉଳ ମିଳିନାହିଁ। ମନରେଗାରେ ମଧ୍ୟ କାମ ମିଳୁନାହିଁ ଫଳରେ ବର୍ଷା ଦିନ ମାନଙ୍କରେ ପାଖ ଗାଁ କୁ ଯାଇ ବିଲ ରେ ମଜୁରୀ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି । ବର୍ତ୍ତମାନ ଆଉ କୌଣସି କାମ ନାହିଁ ।
ଏପଟେ ରାଶନ କାର୍ଡରେ ମିଳିବାକୁ ଥିବା ତିନି ମାସର ଚାଉଳ ମଧ୍ୟ ମିଳୁନାହିଁ । ଚାଉଳ ମିଳୁଥିବା ଖବର ପାଇ ପଞ୍ଚାୟତ ଅଫିସକୁ ଚାଉଳ ଆଣିବା ପାଇଁ ଯାଇଥିଲୁ ପାଇଲୁ ନାହିଁ । ଫଳରେ ପେଟର ଭୋକ ମେଣ୍ଟାଇବା ପାଇଁ ଜଙ୍ଗଲକୁ ଭରସା କରି ଜଙ୍ଗଲକୁ ଯାଇ କରଡ଼ି, ଜଙ୍ଗଲି କନ୍ଦା ଓ ବାଢ଼ିର ଖୁର୍ସା ଓ ମକା ସଂଗ୍ରହ କରି ରାନ୍ଧି ଖାଇବାକୁ ପଡୁଛି । ବେଳେ ବେଳେ ଉପାସରେ ମଧ୍ୟ ରହିବାକୁ ପଡ଼େ ବୋଲି ଗ୍ରାମର ଭୁପିନ୍ଦର ମାଝି ଦୁଃଖ ଭରା କଣ୍ଠରେ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାସନ ଚାଉଳ ଯୋଗାଇବା ପାଇଁ ସମସ୍ତ ଆଦିବାସୀ ପରିବାର ଦାବି କରିଛନ୍ତି ।
ଏସମ୍ପର୍କରେ ଭଣ୍ଡାରଙ୍ଗୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବେବୀଲତା ପାଣିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ତୁମୁଡିବନ୍ଧ ଯୋଗାଣ ନିରୀକ୍ଷକ ଅଞ୍ଜନ କୁମାର ଦିଗାଲ ଙ୍କୁ ପଚାରିବାରୁ ସେ ତୁରନ୍ତ ଚାଉଳ ଦିଆଯିବ ବୋଲି କହିଛନ୍ତି।
ବହୁ ଚର୍ଚ୍ଚିତ ଦାରିଙ୍ଗବାଡି ବ୍ଳକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଖାଇ ଦୁଇ ଜଣ ମହିଳା ମୃତ୍ୟୁ ଓ ଛଅ ଜଣ ଚିକିତ୍ସାଧୀନ ଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଂଚାୟତର ମାସ୍କାଗୁଡ଼ା ଗ୍ରାମରେ ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନ ପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏକଲ ଅଭିଯାନ ପକ୍ଷରୁ ଦିନିକିଆ କ୍ରୀଡ଼ା ପ୍ରତିଯୋଗିତା
ବାଲିଗୁଡା, ୧୧/୧୧ : ଏକଲ ଅଭିଯାନ ଫୁଲବାଣୀ ଅଞ୍ଚଳ ପକ୍ଷରୁ ଶିକ୍ଷା ନିକେତନ ବିଦ୍ୟାଳୟ ପରିସର ରେ ଦିନିକିଆ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିରରୁ ମଶାଲ ପ୍ରଜ୍ଜଳନ କରି ପଡିଆ ରେ ପହଞ୍ଚିବା ପରେ ମୁଖ୍ୟ ଅତିଥି ରାଜ କିଶୋର ସାହୁଙ୍କ ହସ୍ତରେ ଅର୍ପଣ ପୂର୍ବକ ସମିତି ସମ୍ପାଦକ ରାଜକିଶୋର ପାଢ଼ୀ ତଥା ସମସ୍ତଙ୍କ ଉପସ୍ଥିତିରେ ଉଦଘାଟନ କରି ଖେଳକୁଦ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ।
ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଦୌଡ଼ ପ୍ରତିଯୋଗିତା, ଉଚ୍ଚ ଡିଆଁ , ଲମ୍ବଡିଆଁ , କବାଡି ଓ ଯୋଗାସନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏଥିରେ ସମିତିର ସମସ୍ତ ପଦାଧିକାରୀ , କ୍ରୀଡ଼ା ଶିକ୍ଷକ ,ସଂଚାଳ ପ୍ରମୁଖ ଓ ଆଚାର‌୍ୟ୍ୟ ଆଚାର‌୍ୟ୍ୟା ସମୂହ ସହଯୋଗ କରିଥିଲେ । ସଭାପତି ଡଃ ମଧୁସୂଦନ ମହାପାତ୍ର , ସମ୍ପାଦକ ରାଜ କିଶୋର ପାଢ଼ୀ , ସମ୍ଭାଗ ପ୍ରମୁଖ ଦେବରାଜ ଧଳ , ଅଭିଯାନ ପ୍ରମୁଖ ଜାକେରେସ୍ ପ୍ରଧାନ , ପ୍ରାଥମିକ ଶିକ୍ଷା ପ୍ରଭାରୀ କୈଳାଶ ଚନ୍ଦ୍ର ବେହେରା ,କାର୍ଯ୍ୟାଳୟ ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନ , ରଞ୍ଜିତ କୁମାର ଚୌଧୁରୀ , ପ୍ରାଥମିକ ଶିକ୍ଷା ପ୍ରମୁଖ ସବିତାରାଣୀ ପଟ୍ଟନାୟକ , କାର୍ଯ୍ୟାଳୟ ପ୍ରମୁଖ ଧୀରେସ୍ କହଁର , କ୍ରୀଡ଼ା ଶିକ୍ଷକ ଭବାନୀ କୁମାର ନାୟକ , ବାଲିଗୁଡ଼ା ସଂଚାଳ ପ୍ରମୁଖ କର୍ତ୍ତା ସାନୁରା ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ଙ୍କ ଦ୍ୱାରା ମାନପତ୍ର ସହିତ ଟ୍ରଫି ପ୍ରଦାନ କରି ଉତ୍ସାହିତ କରାଯାଇଥିଲା ।
ସଭାପତିଙ୍କ ଉଦବୋଧନ ପ୍ରାଥମିକ ଶିକ୍ଷା ପ୍ରଭାରୀଙ୍କ ଧନ୍ୟବାଦ ଅର୍ପଣ ପରେ ମଶାଲ ନିର୍ବାପନ କରି ଖେଳକୁଦ କାର୍ଯ୍ୟକ୍ରମକୁ ସମାପ୍ତ କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.