‘ବିଜେପି ନେତାଙ୍କର ଉତ୍ତରପୁରୁଷ ଚିନ୍ତା’: ଡା. ଦାମୋଦର ରାଉତ

    by -
    0 23

    ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶା ରାଜନୀତିରେ ବେଶ ପରିଚିିତ ନାମ । ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସଂପର୍କରେ ପ୍ରଶ୍ନ ଉଠିଲେ କଳିଙ୍ଗର ନୌବାଣିଜ୍ୟ ପରମ୍ପରା ଏବଂ କଳିଙ୍ଗ ସେନାନୀର ବୀରତ୍ୱ କାହାଣୀ ଉପରେ ଶ୍ରୀ ହରିଚନ୍ଦନ ମନକୁ ଛୁଇଁଲା ଭଳି ଭାଷଣ ଦିଅନ୍ତି । ସେତେବେଳେ ଆମ ମାଟିର ନାଆଁ ଥିଲା କଳିଙ୍ଗ । ବିଶ୍ୱଦରବାରରେ ଆମ ପୂର୍ବପୁରୁଷଙ୍କୁ କୁହାଯାଉଥିଲା କଳିଙ୍ଗାଃ ସାହସିକାଃ । ସାରା ବିଶ୍ୱରେ ଯେତେବେଳେ କୌଣସି ଦେଶ ସାତ ସମୁଦ୍ର ପାର ହୋଇ ସାମୁଦି୍ରକ ବାଣିିଜ୍ୟ କରି ନଥିଲେ, ଆମରି ପୂର୍ବପୁରୁଷ ପାଲଟଣା ବୋଇତରେ ଇଣ୍ଡୋନେସିଆ, କାମ୍ବୋଡିଆ, ଚୀନ, ଜାପାନ ଭଳି ଦରିଆପାରି ଦେଶରେ ଖାଲି ବାଣିଜ୍ୟ କରୁନଥିଲେ, ଏ ଜାତିର ଧର୍ମ ଓ ସଂସ୍କୃତିକୁ ସେଠାରେ ରୋପଣ କରିଥିଲେ । ତେବେ ମଗଧର ରାଜପୁତ୍ର ନାସ୍ତିକ ଚଣ୍ଡାଶୋକ କଳିଙ୍ଗ ଆକ୍ରମଣ କରିଥିଲେ ଦୁଇଟି କାରଣରୁ । କଳିଙ୍ଗର କୈବର୍ତ୍ତ ରାଜକନ୍ୟା କାରୁବାକୀର ଗୁଣ ଓ ସୌନ୍ଦର୍ଯ୍ୟ ମଗଧରେ ମଧ୍ୟ ଆକର୍ଷଣ ସୃଷ୍ଟି କରିଥିଲା । ଚଣ୍ଡାଶୋକଙ୍କ ରାଜକନ୍ୟା କାରୁବାକୀଙ୍କ ପ୍ରତି ଆକର୍ଷଣ ଏବଂ କଳିଙ୍ଗରେ ଜୈନଧର୍ମର ପ୍ରାବଲ୍ୟ ଯୋଗୁଁ ବୌଦ୍ଧ ଧର୍ମ ପ୍ରଚାର ପାଇଁ ବାଧକ ସୃଷ୍ଟି ହେବା ଏବଂ ସେ ବାଧାକୁ ଦମନ କରିବା ପାଇଁ ଅଶୋକଙ୍କ ପିତା ମଗଧ ସମ୍ରାଟ ବିନ୍ଦୁସାରଙ୍କର ସମ୍ମତି କ୍ରମେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । ମଗଧ ସେନାନୀ ଯେତେବେଳେ ମହାନଦୀ ପାର ହେବାକୁ ବସିଲେ କଳିଙ୍ଗରେ ବିଜେ ଜଗତର ନାଥ ଜଗନ୍ନାଥଙ୍କ ଧର୍ମବଳ ଏବଂ କଳିଙ୍ଗ ସେନାନୀଙ୍କ ଦୁର୍ଦ୍ଦର୍ଷ ରଣକୌଶଳ କଥା ଚିନ୍ତାକରି ଭୀତତ୍ରସ୍ତ ହୋଇ ମହାନଦୀ ପାର ହେବା ପାଇଁ କୁଣ୍ଠିତ ହେବା ଅବସ୍ଥାକୁ ଲକ୍ଷ୍ୟ କରି ପ୍ରାତଃସ୍ମରଣୀୟ କବି ଗୋଦାବରୀଶ ମିଶ୍ର ତାଙ୍କ କବିତାରେ ଅତିସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ।
    ଦୁର୍ଦ୍ଦର୍ଷ ମଗଧବାହିନୀ ସହିତ କଳିଙ୍ଗ ବାହିନୀର ଘମାଘୋଟ ଲଢ଼େଇ ହୋଇଥିଲା ଭୁବନେଶ୍ୱର ସନ୍ନିକଟ ଦୟାନଦୀ କୂଳରେ । ସେତେବେଳେ କେତେ ମଲେ କେତେ ବନ୍ଦୀ ହେଲେ ତା’ର ପ୍ରକୃତ ହିସାବ ହୁଏତ ମିଳିପାରିବ ନାହିଁ । କିନ୍ତୁ ଯୁଗଯୁଗ ଧରି କଳିଙ୍ଗ ଯୁଦ୍ଧ ଲୋକମୁଖରେ କିମ୍ବଦନ୍ତୀ ହୋଇ ରହିଆସିଛିା
    ଯୁଦ୍ଧରେ ଲକ୍ଷେ କଳିଙ୍ଗ ସେନା ନିହତ କିମ୍ବା ବନ୍ଦୀ ହେଲେ । କିନ୍ତୁ କଳିଙ୍ଗ ସେନାନୀ ପରାଜୟ ସ୍ୱୀକାର କରିନଥିଲେ । ଯୁଦ୍ଧରେ ପୁତ୍ର ଏବଂ ସ୍ୱାମୀ ହରାଇଥିବା ରମଣୀଟିଏ ନିଶ୍ଚଳ ହୋଇ ଯେତେବେଳେ ବସିଥିଲେ ସେତେବେଳେ ବିଜୟ ଉଲ୍ଲାସରେ ଉଲ୍ଲସିତ ଦର୍ପୀ ଚଣ୍ଡାଶୋକ ତୃଷାତୁର ହୋଇ ରମଣୀକୁ ପିଇବା ପାଇଁ ପାଣି ମାଗିଥିଲେ ଏବଂ ପ୍ରତିବଦଳରେ ଯାହା ମାଗିବେ ସେ ତତ୍‌କ୍ଷଣାତ୍‌ ଦେବେ ବୋଲି ଘୋଷଣା କରିଥିଲେ । କାରଣ ଯୁଦ୍ଧରେ ଉଭୟ ପକ୍ଷରୁ ଲକ୍ଷ ଲକ୍ଷ ସୈନ୍ୟ ମୃତାହତ ହେବା ଫଳରେ ଦୟାନଦୀର ଜଳ ଲାଲ ହୋଇଯାଇଥିଲା । ଚଣ୍ଡାଶୋକ ବାରମ୍ବାର ଦମ୍ଭର ସହିତ ତୃଷା ମେଣ୍ଟାଇବା ପାଇଁ ପାଣି ମାଗିବା ଫଳରେ ରମଣୀଟି ଆଖି ତରାଟି ଚଣ୍ଡାଶୋକକୁ ପଚାରିଥିଲା ମୁଁ ଯାହା ମାଗିବି ଦେଇପାରିବ । ଦର୍ପରେ ଚଣ୍ଡାଶୋକ ‘ହଁ’ ଭରିଥିଲେ । ରମଣୀଟି ପ୍ରଶ୍ନ କରି ଥିଲା ମୋର ଦୁଇପୁତ୍ର ଓ ସ୍ୱାମୀଙ୍କୁ ତୁମେ ହତ୍ୟା କରିଛ । ସେମାନେ ଏହିିଠାରେ ପଡ଼ିଛନ୍ତି । ତାଙ୍କୁ ତୁମେ ଜୀବନ ଦାନ ଦେଇପାରିବ? ଚଣ୍ଡାଶୋକର ମୋହ ଭଙ୍ଗ ହେଲା । ତାଙ୍କ ବିବେକ ତାଙ୍କୁ କହିଲା ତୁମେ ଯଦି କାହାକୁ ଜୀବନ ଦେଇପାରିବ ନାହିଁ, ତେବେ ଜୀବନ ନେବାର ଅଧିକାର ତୁମକୁ କିଏ ଦେଲା । ଏତିକିରେ ବୌଦ୍ଧ ଭିକ୍ଷୁ ଉପଗୁପ୍ତଙ୍କୁ ଡାକି ବୌଦ୍ଧ ଧର୍ମ ଗ୍ରହଣ କଲେ ଏବଂ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲେ । ହଜାର ହଜାର ବର୍ଷର ଏହି କାହାଣୀ କି କିମ୍ବଦନ୍ତୀ ଆଜି ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଅସ୍ୱୀକାର କରୁଛନ୍ତି କ’ଣ ପାଇଁ? ଯଦି କଳିଙ୍ଗ ଯୁଦ୍ଧ କାଳ୍ପନିକ ଥିଲା, ତେବେ ବିନ୍ଦୁସାଗର ସୃଷ୍ଟି ହେଲା କିପରି । ପିତା ବିନ୍ଦୁସାରଙ୍କ ଦେହାନ୍ତ ପରେ ସମ୍ରାଟ ଅଶୋକ ପିତୃତର୍ପଣ ପାଇଁ ଯେଉଁ ପୁଷ୍କରିଣୀ ଖନନ କରିଥିଲେ ତାହା ଥିଲା ବିନ୍ଦୁସାର ସର । ଯାହାର ଅପଭ୍ରଂଶ ଘଟି ଏବେ ହୋଇଛି ବିନ୍ଦୁସାଗର ।
    ଆମର ମାଉସୀ ମା ମନ୍ଦିର ପରିସରରେ ଝରଣା ଥିଲା । ଏବେ ବି ତାହା ଅଶୋକ ଝର ନାମରେ ପରିଚିତ । ସେଠି ଦୁଇଟି ଛୋଟିଆ ମନ୍ଦିର ଅଛି । ତାକୁ ସ୍ଥାନୀୟ ସେବକ ଏବଂ ଭକ୍ତମାନେ ନା ଦେଇଛନ୍ତି ଶତୃଘ୍ନେଶ୍ୱର ଏବଂ ଲକ୍ଷ୍ମଣେଶ୍ୱର ମନ୍ଦିର । ମାତ୍ର ପ୍ରତ୍ନତତ୍ତ୍ୱ ବିଭାଗ ମନ୍ଦିରର ଭଗ୍ନାବଶେଷକୁ ନେଇ ଗବେଷଣାରୁ କହୁଛନ୍ତି ଏହା ଅଶୋକଙ୍କ ରାଜତ୍ୱ ସମୟରେ ନିର୍ମିତ ବୌଦ୍ଧ ମନ୍ଦିର ।
    ଅଶୋକ କଳିଙ୍ଗ ସମ୍ରାଟ ଥିଲାବେଳେ ମଗଧର ରାଜଧାନୀ ପାଟଳିପୁତ୍ରଠାରେ ଦ୍ୱିତୀୟ ବୌଦ୍ଧ ସମ୍ମିଳନୀ କରିଥିଲେ । ବୌଦ୍ଧଧର୍ମକୁ ଦରିଆପାରି ନେବା ପାଇଁ ସେଥିରେ ପ୍ରସ୍ତାବ ଗ୍ରହଣ ହେଲା । ସେହି ଅନୁସାରେ ନିଜ ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରାଙ୍କୁ ଋଷିକୂଲ୍ୟା ମୁହାଣ ପାଲୁରଠାରେ ଥିବା ବନ୍ଦରରରୁ ସିଂହଳ ଦ୍ୱୀପକୁ ପଠାଇଥିଲେ ବୌଦ୍ଧ ଧର୍ମ ପ୍ରଚାର ପାଇଁ । ତାକୁ କ’ଣ ଅସ୍ୱୀକାର କରିହେବ । ବୌଦ୍ଧ ଧର୍ମର ପୁରୁଣା ପୀଠ ଲଳିତଗିରି ଏବଂ ଉଦୟଗିରିର ବୌଦ୍ଧ ଭିକ୍ଷୁମାନେ ଆଜିର ପାରାଦ୍ୱୀପ ସନ୍ନିକଟ ଉଦୟବଟ ନିକଟରେ ଥିବା ମନ୍ମଦ ବନ୍ଦରରୁ ସେତେବେଳର ସାଧବପୁଅଙ୍କ ପାଲଟଣା ବୋଇତରେ ବୌଦ୍ଧ ଧର୍ମକୁ ବାହାରକୁ ନେବା ପାଇଁ ଯାଇଥିଲେ ନା ନାହିଁ ? ବୌଦ୍ଧ ଧର୍ମକୁ ଦରିଆପାରିରେ ପ୍ରଚାର କରିବାରେ ଧର୍ମାଶୋକ ଅଶୋକଙ୍କ ଅବଦାନ କ’ଣ ସତରେ ଆମେ ଅସ୍ୱୀକାର କରିଦେବା ? ଆମର ଅତୀତ ବୁନିୟାଦିକୁ ଇତିହାସରେ ସନ୍ନିବେଶିିତ କରାଯାଇ ପାରିନାହିଁ । ଅଶୋକଙ୍କ ପରେ ସମ୍ରାଟ ଖାରବେଳ ମଗଧ ଆକ୍ରମଣ କରିବାକୁ ଯାଇ ଗଙ୍ଗା କୂଳରେ ପହଞ୍ଚିଲା ବେଳେ ତାଙ୍କ ସୈନ୍ୟବାହିନୀରେ ଥିବା ଗଜବାହିନୀ ଜଳପାନ କରୁଥିବା ବେଳେ ମଗଧ ସମ୍ରାଟ ବୃହସ୍ପତି ମିତ୍ର ଆତ୍ମ ସମର୍ପଣ କରିବା କ’ଣ ମିଛ? ଏବଂ ବହୁ ପୂର୍ବରୁ ମଗଧ ସମ୍ରାଟ ମହାପଦ୍ମ ନନ୍ଦ କଳିଙ୍ଗ ଆକ୍ରମଣ କରି ଜୈନ ଧର୍ମର ସର୍ବୋଚ୍ଚ ଧର୍ମ ସଂକେତ ‘କଳିଙ୍ଗଜୀନ୍‌’ ଅପହରଣ କରିଥିବା କାରଣରୁ ସମ୍ରାଟ ଖାରବେଳ ଯେ ମଗଧ ଆକ୍ରମଣ କରିଥିଲେ ତାକୁ କ’ଣ ଆମେ କଳ୍ପନା ପ୍ରସୂତ ବୋଲି କହିବା? କଳିଙ୍ଗ ରାଜକୁମାର ମାଳବ ଦେଶର ରାଜକନ୍ୟାଙ୍କୁ ବିବାହ କରିବା କାରଣରୁ ମାଳବ ରାଜା ଆଜିର ମାଲେସିଆର କ୍ୱାଲାଲାମପୁରଠାରୁ ୬୦ ମାଇଲ ଦୂରରେ ଥିବା କଳିଙ୍ଗ ଶବ୍ଦର ଅପଭ୍ରଂଶ କିଲଙ୍ଗ ସହରକୁ ଉପହାର ଆକାରରେ ଦେଇଥିଲେ । ସେଠାରେ ଗୋଟିଏ ଛୋଟିଆ ସଂଗ୍ରହାଳୟରେ ସେତେବେଳର କଳିଙ୍ଗ ସାଧବ ବ୍ୟବହାର କରୁଥିବା ପାନବଟୁଆ, ଗୁଆକାତି, ଚୂନଦାନି ଏବଂ ବ୍ରହ୍ମପୁର ପାଟଶାଢ଼ୀ ସହିତ ସଂପୂର୍ଣ୍ଣ ରାମାୟଣ ଯେଉଁ ପଟ୍ଟଚିତ୍ର ସଂଗୃହୀତ ହୋଇ ଏବେବି ରହିଛି ତାକୁ କ’ଣ ଆମେ ମିଥ୍ୟା ବୋଲି କହିବା । ଭୁବନେଶ୍ୱର ଉତ୍ତର ପଟେ ଚୂଡ଼ଙ୍ଗଗଡ଼ ରହିଛି । ୧୭୫ ଏକର ପରିମିତ ଏହି ଗଡ଼ ଭାରତର ଦ୍ୱିତୀୟ ବୃହତ୍ତମ ‘ଐତିହସ୍ଥଳୀ’(ଓeriଟ୍ଟଚ୍ଚଜ୍ଜe ଟiଟ୍ଟe) ଭାବେ ଖ୍ୟାତ । ତା ଭିତରେ ଥିବା ରାଣୀ ପୋଖରୀ ନିକଟରେ ୯ କିଲୋମିଟର ଲମ୍ବର ସୁଡ଼ଙ୍ଗ ଏବଂ ଚନ୍ଦକା ଜଙ୍ଗଲ ଭିତରେ ଜୀର୍ଣ୍ଣ ପ୍ରାଚୀର ଏବଂ କଳିଙ୍ଗ ରାଜାଙ୍କର ସୈନ୍ୟବାହିନୀର ସହସ୍ରସହସ୍ର ଗଜବାହିନୀ ଥିବା ପ୍ରମାଣକୁୁ କ’ଣ ଆମେ ସଂପୂର୍ଣ୍ଣ କାଳ୍ପନିକ ବୋଲି କହିବା? ତେବେ ଅଶୋକ କଳିଙ୍ଗ ବିଜୟ କଲାବେଳେ ସମ୍ରାଟ ଅଶୋକଙ୍କ ସମୟର ଯେଉଁସବୁ ଚିହ୍ନ ଏବେ ବି ବିଦ୍ୟମାନ ଏବଂ ଯାଜପୁର ଜିଲ୍ଲାର ଦେଉଳି ପାହାଡ଼ ଗୁମ୍ଫାରୁ ସମ୍ରାଟ ଅଶୋକଙ୍କ କନିଷ୍ଠ ଭ୍ରାତା ‘ତ୍ରିଶ’ଙ୍କର ରହଣି ଏବଂ ମିଳିଥିବା କଣ୍ଠରେ ବ୍ୟବହୃତ ତାବିଜଠାରୁ ଆରମ୍ଭ କରି ଯାହାସବୁ ବସ୍ତୁ ଆବିଷ୍କୃତ ହୋଇ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସ୍ୱୀକୃତ ହୋଇଛି ତାକୁ ବି କ’ଣ କହିବା କାଳ୍ପନିକ?
    ଏସବୁ ସତ୍ତେ୍ୱ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଦୀର୍ଘ ରାଜନୈତିକ ଜୀବନରେ କଳିଙ୍ଗର ଅତୀତ ବୁନିୟାଦ ବାବଦରେ ଯେତେସବୁ ଓଜସ୍ୱିନୀ ବୟାନ ଦେଇଛନ୍ତି ତାକୁ କ’ଣ ସତରେ ଭୁଲିଗଲେ ଏଇଥି ପାଇଁ ଯେ, ଉତ୍ତରପ୍ରଦେଶର ବିଜେପି ସାଂସଦ ସଂଗୀତ ସୋମ ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ତାଜମହଲକୁ ତୁଚ୍ଛତାତ୍ସଲ୍ୟ କଲେ । ଆଉ ଜଣେ ବିଜେପି ସାଂସଦ ଶିବମନ୍ଦିର ଉପରେ ତାଜମହଲ ହୋଇଛି ତେଣୁ ତାକୁ ତାଡ଼ି ଫୋପାଡ଼ି ଦେଇ ଶିବମନ୍ଦିର ପାଇଁ ଦାବି କଲେ । ବିଜପେି ଦଳର ସାଂସଦ ଓ ବିଜେପି ନେତାମାନେ ଲାଲକିଲ୍ଲାକୁ ଦାସତ୍ୱର ଏକ ପ୍ରତୀକ ଏବଂ ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିବା ଉଚିତ ନୁହେଁ ବୋଲି କହିଲେ । ସେମାନ ମଧ୍ୟ ଇଂରେଜ ବିରୁଦ୍ଧରେ ଲଢ଼େଇ କରି ପ୍ରାଣବଳି ଦେଇଥିବା ମହୀଶୂରର ଟିପୁ ସୁଲତାନଙ୍କ ବୀରତ୍ୱ ଓ ବିଶ୍ୱ ଇତିହାସରେ ସ୍ଥାନିତ ତାଙ୍କର ଗୌରବ ଗାଥାକୁ ସମାଲୋଚନା କଲେ । ଜାତିର ଜନକ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ଭଳି ଏକ ଘୃଣ୍ୟ ଶବ୍ଦକୁ ପରିହାର କରି ସମସ୍ତେ ହରିର ସନ୍ତାନ ଏବଂ ସୁଧୀଜନ ବୋଲି ହରିଜନ ଶବ୍ଦ ବ୍ୟବହାର କରି ଅସ୍ପୃଶ୍ୟତାକୁ ଘୋଡ଼େଇ ଦେଇଥିଲେ । ଆଜି କିନ୍ତୁ ବିଜପେି ଶାସିତ ରାଜ୍ୟରେ ଜଣେ ହରିଜନ ବା ଦଳିତ ବ୍ୟକ୍ତି ନିଶ ରଖିଲେ ନିର୍ଯାତନାର ଶୀକାର ହେଉଛନ୍ତି ଏବଂ ରେଜିଷ୍ଟି୍ରଭୁକ୍ତ ବିଜ୍ଞାନସମ୍ମତ କଂସେଇଖାନାରୁ ଜଣେ ମୁସଲମାନ ମାଂସ ନେଲେ ବୋଲି ବିଜେପିର ନେତାମାନେ ତାଙ୍କୁ ନିର୍ମମ ଭାବେ ମାଡ଼ମାରି ହତ୍ୟା କଲେ । ସେଥିରେ ପୁଣି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ବ୍ୟକ୍ତିତ୍ୱ ନେହେରୁ-ଗାନ୍ଧୀ ପରିବାର ଗୁଜୁରାଟୀମାନଙ୍କୁ ଘୃଣା କରନ୍ତି ବୋଲି ବକ୍ତବ୍ୟ ଦେଇ ରାଜ୍ୟ ରାଜ୍ୟ ଭିତରେ ବିଦେ୍ୱଷ ସୃଷ୍ଟି କରିବାକୁ ପ୍ରୟାସ ପ୍ରକଟ କରିଥିଲେ । ଏସବୁ ଘଟଣାବଳୀକୁ ଆଖି ଆଗରେ ରଖି ବିଶ୍ୱଭୂଷଣ ବାବୁ ପଛରେ ରହିବେ କାହିଁକି? ସେ ମଧ୍ୟ କଳିଙ୍ଗ ଯୁଦ୍ଧକୁ କାଳ୍ପନିକ ବୋଲି କହିଲେ । ଦୟାନଦୀ ଉପକଣ୍ଠରେ ଧଉଳି ପାହାଡ଼ ଉପରେ ଜାପାନର ବୌଦ୍ଧଭିକ୍ଷୁମାନେ ଆସି ଯେଉଁ ଶାନ୍ତିସ୍ତୁପ ନିର୍ମାଣ କଲେ ବିଶ୍ୱଭୂଷଣ ବାବୁଙ୍କ କଳିଙ୍ଗ ଯୁଦ୍ଧ କାଳ୍ପନିକ ବୋଲି କହିବା ଫଳରେ ତାଙ୍କର ଉତ୍ତରପୁରୁଷମାନେ ଆସି ଶାନ୍ତିସ୍ତୁପ ତାଡ଼ି ଫୋପାଡ଼ି ଦେବେ ବୋଲି ନିଶ୍ଚୟ କହିବେ । ଏସବୁକୁ ଆମେ ଯଦି ସ୍ୱୀକାର କରିନେବା ତେବେ ଆଗାମୀ ଦିନରେ ଆମର ଜନ୍ମଭୂମି ବିଭିନ୍ନତା ଭିତରେ ଏକତାର ଅବତାର ଭାରତବର୍ଷର ଅବସ୍ଥା କ’ଣ ହେବ । ଅଖଣ୍ଡ ଭାରତ ବିଖଣ୍ଡିତ ହୋଇଯିବ କି ନାହିଁ ସେ କଥା ବିଶ୍ୱଭୂଷଣ ବାବୁଙ୍କ ଭଳି ଜଣେ ସ୍ପଷ୍ଟବାଦୀ ରାଜନେତା ବିଚାର କରିବେ । ଓଡ଼ିଆ ଜାତିର ଅତୀତ ଗୌରବ ଗାଥାର ଏକଦା ପ୍ରବଳ ପ୍ରବକ୍ତା ବିଶ୍ୱଭୂଷଣ ବାବୁ ଏବେ ସତରେ କ’ଣ ଧ୍ରୁତରାଷ୍ଟ୍ରର ଭୂମିକା ଗ୍ରହଣ କରୁଛନ୍ତି? ତାଙ୍କର ଉତ୍ତରପୁରୁଷଙ୍କୁ ଆଖି ଆଗରେ ରଖି ସେ ଏଭଳି ବୟାନ ଦେଇ ନାହାନ୍ତି ତ? ସତରେ ତାଙ୍କ କଳିଙ୍ଗ ଯୁଦ୍ଧକୁ କାଳ୍ପନିକ ବୋଲି କହିବାକୁ ମୁଁ ଗ୍ରହଣ କରିପାରୁନାହିଁ । ଏଭଳି ଢାଞ୍ଚାରେ କ୍ଷମତା ଦଖଲ ପାଇଁ ଯେଉଁ ପ୍ରୟାସ କରାଯାଉଛି ଦୁଃଖର ସହିତ କହିବି ତାହା ଏକ ଅପପ୍ରୟାସ ।

    SIMILAR ARTICLES

    0 12